ଅମର ପ୍ରସାଦ ଶତପଥୀ, ଭୁବନେଶ୍ୱର, ୨୩ ଅକ୍ଟୋବର ୨୦୨୬
ଅଗଷ୍ଟ ମାସ ୧୫ ତାରିଖ ଭାରତୀୟ ସ୍ୱାଧୀନତା ଦିବସ ପାଳନର ବିଧି ରକ୍ଷା କରାଯାଉଅଛି । ପ୍ରାୟ ୨୦୦ବର୍ଷ ରୁ ଉର୍ଦ୍ଧ ପରାଧୀନତାର ଶୃଙ୍ଖଳରେ ବନ୍ଧା ହେଇଥିବା ଭାରତ ମାତାଙ୍କୁ ବନ୍ଧନରୁ ମୁକ୍ତ କରି ସ୍ୱାଧୀନତାର ସୂର୍ଯ୍ୟାଲୋକ ସ୍ୱାଦ ଆସ୍ଵାଦନ କରିବାର ଦିବସ କୁ ଜାତୀୟ ଦିବସ ଭାବେ ପାଳନ କରାଯାଉଅଛି । ଜାତୀୟ ପତାକା ଉତ୍ତୋଳନ, ଆକର୍ଷଣୀୟ ପ୍ୟାରେଡ ଦେଶାତ୍ମକବୋଧକ ସଙ୍ଗୀତ ଗାନ ସହ ମିଷ୍ଠାନ ବଣ୍ଟନ ଉତ୍ସବ ର ଆୟୋଜନ ପାଇଁ ସରକାରୀ ସ୍ତର ରେ ତଥା ବହୁ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ସଂଗଠନ, ରାଜନୈତିକ ଦଳର ପାଳନ କରିବାରେ ବ୍ୟଗ୍ରତା ଥାଏ । ସଂଗୀତ ଗାନ, ବକୃତା ପ୍ରତିଯୋଗିତା ରେ ମଧ୍ୟରେ ଶିକ୍ଷାନୁଷ୍ଠାନ ଆଗତ୍ତର ହେଇଥାନ୍ତି।କିନ୍ତୁ ସ୍ୱାଧୀନତା ଦିବସର ଅନ୍ତସ୍ୱର ଏଭଳି ଆଡମ୍ବର ପୂର୍ଣ୍ଣ ଉତ୍ସବ ପାଳନ ମଧ୍ୟରେ ଆତ୍ମ ସତ୍ତା ହରାଇ ଦେଇଥାଏ ।
ସ୍ୱାଧୀନୋତ୍ତର ଭାରତବର୍ଷର ଏକଦଶନ୍ଧି ପର୍ଯ୍ୟନ୍ତ ସ୍ୱାଧୀନତା ଆନ୍ଦୋଳନ ର ଘଟଣାବଳୀ ଓ ପୃଷ୍ଟଭୂମି ସମସ୍ତଙ୍କ ମନରେ ସତେଜ ଥିବା ଭଳି ପ୍ରତିଭ୍ରାତ ହେଉଥିଲା । ଏହି ଜାତୀୟ ଦିବସ ପାଳନର ଆବେଗ, ଉତ୍ସାହ, ଉଦ୍ଦାମତା କ୍ରମଶଃ କ୍ଷୀଣ ହେବାରେ ଲାଗିଛି । ନାହିଁ ଆନ୍ତରିକତା, ଉଦ୍ଦିପନା, ଗତାନୁଗତିକ ଯନ୍ତ୍ରବତ କାର୍ଯ୍ୟକ୍ରମ ମାନ ଆୟୋଜିତ ହେବା ସ୍ୱାଧୀନଚେତା ଜନଗଣଙ୍କ ମନରେ ଏକାଧିକ ପ୍ରଶ୍ନରାଜି ସୃଷ୍ଟି କରୁଅଛି।କଣ ଦୁର୍ବଳତା ରହିଲା ଆମ ମୁକ୍ତି ସଂଗ୍ରାମରେ ? ସମଗ୍ର ବିଶ୍ୱକୁ ଅହିଂସା, ସତ୍ୟାଗ୍ରହ, ଶାନ୍ତିର ସନ୍ଦେଶ ଦେଉଥିବା ଏହି ସଂଗ୍ରାମର ସ୍ୱର କଣ ପାଇଁ ମନରେ ଶିହରଣ ସୃଷ୍ଟି କରୁନାହିଁ ? ଆମ ପୂର୍ବଜ ସ୍ୱାଧୀନତା ସଂଗ୍ରାମୀ ଓ ଶହୀଦ ମାନଙ୍କ ବଳିଦାନକୁ ଏହି ଜାତି ବିସ୍ମରଣ ଗର୍ଭ କୁ ଠେଲିଦେଇ ଭିନ୍ନ ରାସ୍ତାରେ ଆପଣେଇ ନେବାର ଉଦ୍ୟମ ସଂଗ୍ରାମୀ ମାନଙ୍କୁ ବେଦନା ଭରିଦେଉଅଛି । ତ୍ୟାଗ, ତପସ୍ୟା,ବଳିଦାନ ଭାଷା କେବଳ ଶବ୍ଦକୋଷ ମଧ୍ୟରେ ସୀମିତ ହୋଇରହିଯିବ । ସମୟ ଆସିଅଛି ଏହି ପ୍ରଶ୍ନ ସମୂହ ର ଉତ୍ତର ଖୋଜିବା ଓ ଆଗାମୀ ପିଢ଼ିକୁଏହି ଅନନ୍ୟ ସଂଗ୍ରାମ ଇତିହାସ ରେ ପ୍ରେରିତ କରିବାର ଉପାଦାନ ସୃଷ୍ଟି କରିବା ପାଇଁ ସଠିକ କାର୍ଯ୍ୟ ପନ୍ଥା ଗ୍ରହଣ କରିବା ।
ବ୍ରିଟିଶ ଶାସନର ଗୋରା ପୋଲିସ ସ୍ୱାଧୀନତା ଆନ୍ଦୋଳନକାରୀଙ୍କୁ ବିଦ୍ରୋହୀ, ଦେଶଦ୍ରୋହୀ ଭାବରେ ଚିତ୍ରଣ କରୁଥିବା ବେଳେ କଠୋରରୁ କଠୋର ଦଣ୍ଡ ପାଇଥିବା ସଂଗ୍ରାମୀ ମାନେ ସ୍ୱତନ୍ତ୍ର ସେନାନୀ ଭାବେ ଗର୍ବ କରି ହସି ହସି ଆନନ୍ଦ ପାଉଥିଲେ । ଦେଶ ମାତୃକାକୁ ଶୃଙ୍ଖଳମୁକ୍ତ କରିବା ପାଇଁ ଫାଶି ଖୁଣ୍ଟରେ ମୃତ୍ୟୁ ବରଣ କଲାବେଳେ ମାତୃ ବନ୍ଦନା ଗାଈ କୃତଜ୍ଞ ହେଉଥିଲେ । ଘର ସଂସାର ଛାଡି ଦେଶଭକ୍ତିରେ ଉଦବୁଦ୍ଧ ଯୁବକ ମାନେ ମାତୃ ପୂଜା ବନ୍ଦନରେ ପରମ ସନ୍ତୋଷ ଲାଭ କରୁଥିଲେ । ସେହି ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଜୀବନ ଦର୍ଶନ, ଜୀବନଚାର୍ଯ୍ୟା ସମସ୍ତଙ୍କ ପାଇଁ ଅନୁକରଣୀୟ ।
ମହାତ୍ମା ଗାନ୍ଧୀଙ୍କ ପରିକଳ୍ପିତ ସ୍ୱାଧୀନ ଭାରତର ସ୍ଥିତି କଣ ? ସମାଜ ଜୀବନକୁ ଗ୍ରାସ କରିଥିବା ଅନାଚାର, ଭ୍ରଷ୍ଟାଚାର ଦେଶପ୍ରେମୀ ମାନଙ୍କ ମନକୁ ବ୍ୟଥିତ କରୁଅଛି । ଅର୍ଦ୍ଧ ରାତ୍ରରେ ସ୍ୱଚ୍ଛନ୍ଦ ଓ ନିର୍ଭୟରେ ଯାତ୍ର କରିବା ଦୂରର କଥା ଦିବା ଦ୍ୱିପ୍ରହରେ ନାରୀ ମାନଙ୍କ ପ୍ରତି ଅସଦାଚରଣ ଭଳି ଅଘଟଣର ବୃଦ୍ଧି ପାଉଅଛି । ନିଶାମୁକ୍ତ ଭାରତର ସ୍ବପ୍ନ ଆଜି ସୁଦର ପରାହତ । ୧୯୭୭ ମସିହାରେ ତତକାଳୀନ ପ୍ରଧାନମନ୍ତ୍ରୀ ମୋରାଜୀ ଭାଇ ଦେଶାଇ ସମଗ୍ର ଦେଶ ରେ ନିଶା ନିବାରଣ ପାଇଁ ପଦକ୍ଷେପ ନେଲାବେଳେ ପିଲୁ ମୋଦି ସମେତ ଅନେକ ରାଜନେତା ଏହାର ତୀବ୍ର ବିରୋଧ କଲେ । ମୋରାଜୀଭାଇ ନେତୃତ୍ୱ ଗଠିତ ଜନତା ପାର୍ଟି ସରକାର ର ପତନ ର ଏହା ଅନ୍ୟ ଏକ କାରଣ । ଧନୀ ଦରିଦ୍ର ମଧ୍ୟରେ ବିଷମତା ଦୁରକରି ସମତାଭିତ୍ତିକ ସମାଜ ଗଠନ କେବଳ ସ୍ଲୋଗାନରେ ଅଥବା ଭାଷଣ ରେ ସୀମିତ। ଜାତି ଓ ଧର୍ମ ଜନିତ ବିଦ୍ବେଶ ଜନ ଜୀବନରେ ଶାନ୍ତି ସଂହତି ର ବାଧକ ସାଜିଛି । ସର୍ବୋପରି ଭ୍ରଷ୍ଟାଚାର ସବୁ କ୍ଷେତ୍ରରେ ଦେଖା ଦେଉଥିବା ବେଳେ ଏହା ସାଧାରଣ ଚଳଣି ଭାବେ ବିବେଚିତ ହେଉଅଛି । ଗଣତନ୍ତ୍ର ଅବକ୍ଷୟ ହୋଇ ଦଳ ତନ୍ତ୍ର ଏପରିକି ଜଣ ତନ୍ତ୍ର ରେ ବନ୍ଧା ପଡିଛି । ବ୍ୟକ୍ତି ଚରିତ୍ର ର ସ୍ଫଳନ ମୁଖ୍ୟ ଆମଜନଜୀବନକୁ କଳୁଷିତ କରୁଅଛି । ବିଧାନସଭା ଅଥବା ସଂସଦରେ ଅଶାଳୀନ ଅଭଦ୍ରୋଚିତ ସମ୍ବାଦ ଗୁଡିକ ଗଣମାଧ୍ୟମ ର ପ୍ରଥମ ପୃଷ୍ଠା ମଣ୍ଡନ କରୁଅଛି । ପ୍ରଜ୍ଞା, ପରିବର୍ତ୍ତେ ଅଜ୍ଞତା ଭୂଷଣ ହୋଇଅଛି । ଜାତୀୟ ଜୀବନର ପରିବର୍ତ୍ତେ ସମସ୍ତ ବ୍ୟକ୍ତି ସର୍ବସ୍ବ ହୋଇଅଛି । କୃତିମ ବୁଦ୍ଧିମତାର ବହୁଳ ପ୍ରଚଳନ ସୃଜନଶୀଳନତା ର ପଥ ରୋଧ କରୁଅଛି । ସ୍ୱରାଜ, ସୁରାଜ,ସ୍ୱାବଲମ୍ବୀ ଭାରତ ଗଠନର ସ୍ବପ୍ନ ସାକାର ହେଉନାହିଁ । କୃତିମ ବୁଦ୍ଧିମତାର ବ୍ୟବହାର ଫଳରେ ସ୍ୱାବଲମ୍ବୀ ହେବା ସ୍ଥାନରେ ନିର୍ଭରଶୀଳତା ବୃଦ୍ଧି ପାଉଅଛି । ଏହା ଦେଶକୁ ଭିନ୍ନ ପରାଧୀନତା ଆଡକୁ ଅଗ୍ରସର ହେବାରେ ସାମର୍ଥ୍ୟ ଯୋଗାଉଛି ।
କୂଳବୃଦ୍ଧ ମଧୁସୂଦନଙ୍କ ନୂତନ ଜାଗରଣ ର ଆହ୍ୱାନ, ଉତ୍କଳମଣି ଗୋପବନ୍ଧୁ କାରା କବିତା, ବାଞ୍ଛାନିଧି ମହାନ୍ତିଙ୍କ ଦେଶାତ୍ମକ ବୋଧକ ସଂଗୀତ ଦେଶ ପ୍ରେମ ର ଜୀବନ୍ତ ସ୍ୱରୂପ ଥିଲା । କିନ୍ତୁ ଦେଶାତ୍ମକ ବୋଧକ କବିତା ଆଜି ର ଯୁବକ ମାନଙ୍କ ମନକୁ ଆନ୍ଦୋଳିତ କରୁନାହିଁ ।
ସମୟ ଆସିଛି ସ୍ୱାଧୀନତା ସଂଗ୍ରାମର ସମ୍ପୂର୍ଣ ଇତିହାସ କୁ କେଵଳ ଅଧ୍ୟୟନ ନୁହଁ, ମନନ ଓ ଚିନ୍ତନ କରିବା । ଅଜ୍ଞାନ ରୂପକ ଚକ୍ଷୁ ରେ ଜ୍ଞାନଲୋକରେ ଭରିଦେବା । ବିଦ୍ୟାଳୟଠାରୁ ଆରମ୍ଭ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ସ୍ୱାଧୀନତା ସଂଗ୍ରାମ ର ଇତିହାସ କୁ ପାଠ ପଢାଇବା ବ୍ୟବସ୍ଥା କରିବା । ଗାନ୍ଧୀ, ଗୋପବନ୍ଧୁ, ଖୁଦିରାମ, ଭଗତ ସିଂ ଆଦି ସଂଗ୍ରାମୀ ଜୀବନୀ ପଠନ ସହ ସେଭଳି ତ୍ୟଗ ରୁ ଶିକ୍ଷାଲାଭି କରି ନିର୍ବାପିତ ହୋଇ ଆସୁଥିବା ଏହି ଇତିହାସ କୁ ଜୀବନ୍ତ ଓ ପ୍ରାଣାବନ୍ଦ କରିବା । ନବଜାଗରଣ ର ଆବଶ୍ୟକତା ରହିଅଛି । ବିକାଶ ସହ ବିରସାତ କୁ ଆପଣେଇନେବ। ଆବେଗ ଭରା କଣ୍ଠରେ ଉଚ୍ଚସ୍ୱରରେ ଦେଶଭକ୍ତି ସଂଗୀତ ଗାନ କରି ଭାରତ ମାତାର ପୂଜନ କରିବା । ଦେଶର ସ୍ୱାଧୀନତା ଅଖଣ୍ଡତା ଅକ୍ଷୁର୍ଣ୍ଣ ରଖିବା ପାଇଁ ଆମ ସଂକଳ୍ପ ଓ ପ୍ରତିବଦ୍ଧତା ର ପରିଚୟ ଦେବା । କଷ୍ଟଲବ୍ଧ ସ୍ୱାଧୀନତା ଓ ସଂଗ୍ରାମୀ ମାନଙ୍କ ବୀରତ୍ୱର ଅମୁଲ୍ୟ ସମ୍ପଦକୁ ସାଇତି ରଖିବା । ନୂତନ ସ୍ପନ୍ଦନ ରେ ଶିହରିତ ହୋଇ ସ୍ୱାଧୀନତା ଦିବସ ପାଳନର ଅନ୍ତସ୍ୱର କୁ ସଠିକ ଭାବେ ଅନୁପାଳନ କରିବା ।